Unknown

 

 

 

 

 

 

 

 

 

 

ଯୁଗଧର୍ମ

ବୈକୁଣ୍ଠନାଥ ବ୍ରହ୍ମଚାରୀ

 

ଏକ

 

ଏକ ନୁହେଁ କବିତା, ସାହିତ୍ୟ କିବା ରମ୍ୟ ରଚନା

ବଢ଼ାଇବାପାଇଁ ପ୍ରତିଷ୍ଠା ମୋର ନାହିଁ ବାସନା ।

 

ଲେଖକ-ସମାଜେ ଗଣନା ପାଇଁ ନାହିଁ ତ ବାଞ୍ଛା

ସତ କଥା ପଦେ କେବଳ କହିବାକୁ ମୋ ଇଚ୍ଛା ।

 

ହଜାର ବରଷ ଭାରତ ପରାଧୀନେ ରହିଲା

ନିନ୍ଦାଅପମାନେ ଦେଶରେ ଶେଷେ ହଂସା ଉଡ଼ିଲା ।

 

ଭାରତ ଜନନୀ ନୟନୁ ଯେବେ ଝରିଲା ନୀର

ଜନମ ଲଭିଲେ ଏଦେଶେ ଲକ୍ଷେ ବିପ୍ଳବୀ ବୀର ।

 

ସେନାପତି ଭାବେ ବାପୁଜୀ ଥାଟ ନେଲେ ଚଳାଇ

ପ୍ରବଳ ଫିରଙ୍ଗି ଫଉଜ ଦେଶୁ ଗଲେ ପଳାଇ ।

 

ଅହିଂସା ମନ୍ତ୍ରରେ ମତ୍ରିତ ସତ୍ୟ ଅସ୍ତ୍ରକୁ ଦେଖି

ବ୍ରିଟିଶ ବନ୍ଧୁକ ଜମାଣ ଗଲା ଦୂରେ ଅଟକି ।

 

 

 

ବହୁ ଯୁଗ ପରେ ବାଞ୍ଛିତ ସ୍ୱାଧୀନତା ଆସିଲା

ଧର୍ମଚକ୍ରଚିହ୍ନ ଲାଞ୍ଛିତ କେତନ ଯେ ଉଡ଼ିଲା ।

 

କହିଲେ ବାପୁଜୀ,” ହେ ମୋର ପ୍ରିୟ ଭାଇଭଉଣୀ

ପାଇବ ଅପାର ଆନନ୍ଦ, ଚଳ ମୋ କଥା ମାନି ।

 

ପୃଥିବୀରେ ନାହିଁ ଏପରି ଶକ୍ତି ଯା ପାଶେ ତୁମେ

ନିଆଁଇବ ତୁମ ମସ୍ତକ ଚଳୁଥିଲେ ନିୟମେ ।

 

ଅହିଂସା, ସତ୍ୟ ଯେ ଅସ୍ତେୟ, ବ୍ରହ୍ମଚର୍ଯ୍ୟ ପାଳନ

ଦରକାରଠାରୁ ଅଧିକ ନ କରିବ ଗ୍ରହଣ ।

 

କର୍ମ କରିବାକୁ କୁଣ୍ଠିତ ମନେ ନ ହେବ ତିଳେ

ତୁଣ୍ଡସୁଆଦିଆ ଖାଦ୍ୟକୁ ଦୂରେ ତେଜିବ ହେଳେ ।

 

ସ୍ୱଦେଶ ଜନକୁ ନିଜର ଭାବି ସେବା କରିବ

ବିନମ୍ର ଭାବକୁ ଆଚରି ଭୟ ବରଜିଦେବ ।

 

ଯହିଁ ମାନବତ୍ୱ ବିକାଶ ତାହା କରିବ ଶିକ୍ଷା

ଦେଶରକ୍ଷା ପାଇଁ ସରବେ ନିଅ ଅହିଂସା ଦୀକ୍ଷା ।

 

ଖାଦ୍ୟ, ବାସ ପାଇଁ ନ ହେବା ପର ପାଶେ ଭିକାରୀ

ପର ହିତ ନିତ୍ୟେ ସାଧିବା ମନେ କୁଣ୍ଠା ନ କରି ।

 

ସୀତା-ସାବିତ୍ରୀଙ୍କ ସମାନ ହେବେ ଏଦେଶ ନାରୀ

ଆମ ଦେଶ ଯଶ ତେବେଟି ବିଶ୍ୱେ ଉଠିବ ଭରି ।

 

ଲଘୁଜନ ଗୁରୁଜନଙ୍କୁ ଶ୍ରଦ୍ଧା ସମ୍ମାନ ଦେବେ

ଗୁରୁଜନେ ଶୁଭ ମଙ୍ଗଳ ଆଶୀର୍ବାଦ କରିବେ ।

 

ରାମରାଜ୍ୟ ଗଢ଼ି ପ୍ରଜାଙ୍କୁ ପୁତ୍ର ପ୍ରାୟ ମଣିବା

ଦୁଃଖୀ ରଙ୍କିଙ୍କର ଗୁହାରୀ ଆଗେ କାନେ ଶୁଣିବା ।

 

ନିରପେକ୍ଷ ନ୍ୟାୟ ଶାସନ ନିଃସନ୍ଦେହରେ ହେବ

ଦେଶବିଦେଶରେ ଆମର ଜୟ ଧ୍ୱଜା ଉଡ଼ିବ ।

 

ଦୁର୍ବଳକୁ ଆଉ ସବଳ ଠେଲି ନଯିବ ଚାଲି

ଦରିଦ୍ରକୁ ଚାହିଁ ଧନୀର ଆଖି ନୋହିବ ନାଲି ।

 

ଥିଲା ଏ ଯୋଜନା ଏଦେଶେ ହେବା ପାଇଁରେ ଭାଇ

ସ୍ୱାଧୀନତା ଆଣି, ଶୋଇଲା ବାପୁ ସେପାରେ ଯାଇ ।

 

ଏବେ ଯାହା ସବୁ ହେଉଛି ଆମ ସ୍ୱାଧୀନ ଦେଶେ

ବିଚାର କରିବେ ସୁଜନେ ବସି ସ୍ଥିର ମାନସେ ।

 

ଏହି ବିଷୟରେ ଲେଖୁଛି ମାତ୍ର କେଇଟି କଥା

ଧାର୍ମିକ, ନୀତିଜ୍ଞ ନେତାଏ ଥରେ କରନ୍ତୁ ଚିନ୍ତା ।

 

କି ହେବାର, କି ହେଲା, ପରେ କି ହେବ ପୁଣି

ସେହି ଏ ଉତ୍ତର ଦେବଟି ଯିଏ ଥିବଟି ଜାଣି ।

 

ଆକ୍ରୋଶ କରି ମୁଁ କାହାକୁ କହୁ ନାହିଁ ତ ଏହା

ପ୍ରତ୍ୟକ୍ଷ ଘଟଣା ସଂସାରେ ଘଟୁଅଛି ହେ ଯାହା ।

 

ସତକଥା ଳେଖି ବାଢ଼ୁଛି ଜନ ସମାଜ ପାଶେ

ସୁଧୀ ନରେ ଏହା ବୁଝିବେ ଯେବା ଥିବେ ଏଦେଶେ ।

***

 

ଦୁଇ

 

ବାପୁଜୀ କହିଲେ, “ବିଦେଶୀ ଢଙ୍ଗ ଦେବା ହଟାଇ

ସ୍ୱଦେଶୀ ବିଚାର ଭିତ୍ତିରେ ଆଦରଶ ଫୁଟାଇ” ।

 

ଆଜି କିନ୍ତୁ ଆମ ଦେଶର ଯେତେ ଭଉଣୀ ଭାଇ

ଦେଶୀ ବେଶ ଭୂଷା ଦେଖିଲେ ଦୂରେ ଯାନ୍ତି ପଳାଇ ।

 

ବିଦେଶୀ ଢଙ୍ଗର ପୋଷାକେ ସଦା ଦେହକୁ ସାଜି

ବିଦେଶୀ ଠାଣିରେ ଚଳନ୍ତି ମନୁଁ ଲଜ୍ଜା ବରଜି ।

 

ସ୍ନୋଅ ପାଉଡ଼ର ସାବୁନ ବିନା ମୁହଁର କାନ୍ତି

ଝଟକିବ ନାହିଁ ଏ ଯୁଗେ ମନ ନହେବ ଶାନ୍ତି ।

 

ନିରୋଗ ଶରୀର, ବଳିଷ୍ଠ ବପୁ ସୌନ୍ଦର୍ଯ୍ୟ ମୂଳ

ନିର୍ମଳ ଚରିତ୍ରେ ଉଜ୍ଜଳ ଦିଶେ ମୁଖମଣ୍ତଳ ।

 

ଏ କଥା ପୁରୁଣା କାଳିଆ ଭାବି ଏ କାଳ ଯୁବା

ଶୁଷ୍କ ମୁଖେ ନିତି କରଇ ଅଙ୍ଗରାଗର ସେବା ।

 

 

 

ରଙ୍ଗ ବେରଙ୍ଗର ପୋଷାକେ ଦେହ ନାନା ଢଙ୍ଗରେ

ସଜାଇ ନିଜକୁ ନିରେଖେ ଦରପଣ ଆଗରେ ।

 

ବିଲାତିଙ୍କ ଭଳି ସାଜିବା ପାଇଁ ମୁଣ୍ଡର କେଶ

କେତେ ବ୍ୟାକୁଳତା ମନରେ, କେତେ ହ୍ୱନ୍ତି ନିରାଶ !

 

ଗୀତା, ଭାଗବତ, ପୁରାଣ, ଆଜି ପାଆନ୍ତି ସଜା

ପ୍ରୀତି ଉପନ୍ୟାସ, ସିନେମା ଗପ ପାଉଛି ପୂଜା ।

 

ଆଦର୍ଶ ଶ୍ରୀରାମ ଚରିତ ଅନାଦର୍ଶରେ ଗଣା

ଚିତ୍ର ତାରକାର ଜଗତେ ହୁଏ ସଭ୍ୟତା ବଣା ।

 

ମନ୍ଦିର ଘଣ୍ଟଘଣ୍ଟାର ଧ୍ୱନି ଶ୍ରୁତିକି କାଟେ

ମନ ମତାଣିଆ ସିନେମା ଗୀତେ ପ୍ରାଣ ଉଚ୍ଚାଟେ ।

 

ଓଁକାର ଶବଦ ବିକାର ଗ୍ରସ୍ତ କଣ୍ଠର ବାଣୀ

ଏ ଜାତି ଯୁବକ ମୁଖରେ ଏହା ଉଚ୍ଚରେ ପୁଣି !

 

ଧୂପ, ଧୂଆଁ, ଗନ୍ଧ ଚନ୍ଦନ ଆଜି ଘୃଣ୍ୟ ହୋଇଛି

ସିଗାରେଟ୍ ଧୂଆଁ, ଅତର ଦେଶେ ପୂଜା ପାଉଛି ।

 

ଧୋତି ପିନ୍ଧା, ମାଳା ବନ୍ଧାଟି ଅନ୍ଧ ସଂସ୍କାରେ ଗଣା

ଚନ୍ଦନ ତିଳକ ଅର୍ଚ୍ଚନା ପ୍ରତି ସମାଜେ ଘୃଣା ।

 

ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ପୁଏ ଦ୍ୱିଜ ବଂଶର

ଯଜ୍ଞ ଉପବିତ ଫିଙ୍ଗନ୍ତି କହି କୁସଂସ୍କାର ।

 

ବିଭୁଙ୍କର ଛଡ଼ା ତୁଳସୀ, ପୁତ ତରଣୋଦକ

ଘୃଣ୍ୟ, ପୁଜା ପାଇଲା କାସେଶ୍ୱ ମୋଘର ।

 

ପ୍ରାଶ୍ଟାତ୍ୟ ଦର୍ଶନ କହୁଛି ‘କାମ ସୃଷ୍ଟିର ମୂଳ’

ତେଣୁ ରାମରାମ ଜପକୁ ଜନେ ମଣନ୍ତି ଛଳ ।

 

ଶାସ୍ତ୍ରଚର୍ଚ୍ଚା ଶୁଣି ମାନସେ ବ୍ୟଥା ଲାଗଇ କେତେ

ଚଳଚ୍ଚିତ୍ର ଦେଖି ଜନତା ଭାସେ ଆନନ୍ଦ ସ୍ରୋତେ ।

 

ପରଦାରା, ପରଝିଅଙ୍କୁ ମାଆ ଭଉଣୀ ଭଳି

ଭାବିବା ବଦଳେ ମନରେ କାମ ଉଠାଇ ଜଳି ।

 

ପିତା ମାତା ହିତ ବଚନ ପୁତ୍ରେ ଲାଗଇ ପିତା

ମୁର୍ଖ ଭାବି ତାଙ୍କୁ ଘୃଣାରେ ପୁତ୍ର ନ କହେ କଥା ।

 

ପିତା, ମାତା, ଗୁରୁଜନଙ୍କୁ ସେବା କରିବା ମନା

ତରୁଣୀ ମନକୁ କିଣିବା ପାଇଁ ସବୁ ସାଧନା ।

 

ନାରୀ ନଗ୍ନ ରୂପେ ମୋହିତ ଆଜି ଯୁବ ସମାଜ

ନାରୀ ଛବି ଭରା ବିପଣି ନାରୀ ରୂପେ ବଣିଜ ।

 

ଯେଉଁ ଦେଶେ ସୀତା ସାବିତ୍ରୀ ଅନୁସୂୟା, ଗୌତମୀ

ସତୀ ଅରୁନ୍ଧତୀ ବଶିଷ୍ଠ ମୁନି ଅନୁଗାମିନୀ ।

 

ବ୍ରହ୍ମଜ୍ଞାନୀ ଗାର୍ଗୀ, ମହିମା ମୟୀ ସେ ଲୋପାମୁଦ୍ରା

ଗାନ୍ଧାରୀ ଦ୍ରୌପଦୀ, ରୁକ୍ନିଣୀ ସତ୍ୟା,ସତୀ ସୁଭଦ୍ରା ।

 

ଲୀଳାବତୀ, ଖନା, ଅହଲ୍ୟା ବାଈ, ଦୁରୁଗାବତୀ

କାଳ ବରଷେ ଲେଖିଛନ୍ତି ତାଙ୍କ ଅମରକୀର୍ତ୍ତି ।

 

ସେହି ଦେଶେ ନାରୀ ପ୍ରଗତି ନାମେ ଯେ ବ୍ୟଭିଚାର

ଚାଲିଛି ରଜନୀଦିବସେ ମୁଖେ ନ ଧରିବାର ।

 

ଗୃହ ଲକ୍ଷ୍ଣୀ ଗୃହ ମଣ୍ଡନ ଯାହା ଏଦେଶେ ରୀତି

କାହିଁ ଆଜି ? ଲୋପ ପାଇଛି ଚାଲେ ନାରୀ ପ୍ରଗତି !

 

 

ଶାଶୁଶ୍ୱରଙ୍କ ସେବା ତ ଆଜି ହେଲା ସ୍ୱପନ

ନାରୀ ପୁରୁଷଙ୍କ ବିବାହ କଣ୍ଟ୍ରାକ୍ଟର ବନ୍ଧନ ।

 

ପିତା ମାତା ଗୁରୁଜନଙ୍କୁ ଭକ୍ତି ନ କରି କନ୍ୟା

ଉପନ୍ୟାସ, ପ୍ରେମ କବିତା ପଢ଼ି ମଣଇ ଧନ୍ୟା ।

 

ରଙ୍ଗବେରଙ୍ଗର ପୋଷାକେ ଅଙ୍ଗରାଗର ସାୋଥେ

ନାନାଭାବେ ରୂପ ସଜାଇ ଏବେ ବୁଲନ୍ତି ପଥେ ।

 

ସୁଶୀଳତା ଲଜ୍ଜା, ବିନୟ ଯାହା ନାରୀଭୂଷଣ

ପ୍ରାଶ୍ଚାତ୍ୟ ଶିକ୍ଷାର ପ୍ରଭାବେ ସବୁ ହେଲା ଦୂଷଣ ।

***

 

ତିନି

 

ବାପୁ କହିଥିଲେ, ‘‘ମଦ ଅଫିମ ଗଞ୍ଜାଇ

ଏ ଦେଶେରେ କେହି ହେଲେ ଜଣେ ଛୁଅଁ ନାହିଁ” ।

ସେଥିପାଇଁ ନିଶା ନିବାରଣ ନାମେ ନୀତି

ଚଳାଇଲେ କିଛି କାଳ ଆମ ନୂଆମନ୍ତ୍ରୀ ।।

 

ଏବେ କିନ୍ତୁ ଚାଲିଲାଣି ନିଶାର ପ୍ରସାର

ଖୋଲା ବଜାରରେ ମଦ ହୁଏ କାରବାର ।

ଦେଶୀ ମଦର ଦୋକାନ ଖୋଲା ଚାରିଆଡ଼େ

ଦେଶୀ ମଦେ ସରକାରୀ ଗନ୍ତାଘର ଭରେ ।।

 

ବ୍ରିଟିଶ ଶାସନ କାଳେ ମଦ ନିଶାପାଣି

ପିଇବାକୁ ଲୋକେ ଘୃଣା କରୁଥିଲେ ଜାଣି ।

ଆଜି କିନ୍ତୁ ସମାଜରେ ଯେ ମଦ ନ ପିଏ

ଅମଣିଷପଣେ ତାଙ୍କୁ ଗଣନ୍ତି ସଭିଏଁ !

 

ତେଣୁ ଆଜି ରିକ୍ସାବାଲା, କଳର ଶ୍ରମିକ

ମଦ ପିଏ ଭୁଲିବାକୁ ଅଭାବକୁ ଦୁଃଖ ।

 

 

 

ଛାତ୍ର ନେତା ମଦ ପିଇ ଆନ୍ଦୋଳନ କରେ

ପୁଲିସ ପିଅନ୍ତି କେତେ ଦିନ ଦ୍ୱିପହରେ ।।

 

ମଦ ପିଇ ମସଗୁଲ ଏଦେଶର କବି

ଲେଖନୀ ମୁନେ ଫୁଟାନ୍ତି ନୂଆ ନୂଆ ଛବି ।

ମଦ ବିନା ଚଳେ ନାହିଁ ସାଂସ୍କୃତିକ ସଭା

ମଦ ବିନା ନୃତ୍ୟ ଗୀତ ପାଏ ନାହିଁ ଶୋଭା ।।

 

ଅଙ୍ଗେ ଆଣିବାକୁ ବଳ ମଦ ପିଏ ଯୁବା

ଯୁବତୀ ପିଅଇ ହେବା ପାଇଁ ମନଲୋଭା ।

ମଦ ପିଏ ନାହିଁ ଏକା ପଣ୍ଡିତ ସମାଜ

ମଦନାନନ୍ଦ ମୋଦକେ ଚଳେ ତାଙ୍କ କାର୍ଯ୍ୟ ।।

 

କିରାଣୀ ପିଅଇ ପିଏ ବଡ଼ ଅଫିସର

ବ୍ୟବସାୟୀ ବୁଲି ବାଣ୍ଟେ ପାଇବାକୁ ବର ।

ଦେଶୀ ମଦ ଛୁଏଁ ନାହିଁ ଏକା ବଡ଼ ନେତା

ବିଲାତି ମାଲ୍ ନ ହେଲେ ନଶୁଣନ୍ତି କଥା ।।

 

ମଦର ଜୟ ଡିଣ୍ଡିମ ବାଜେ ଚଉଦିଗେ

ଯନ୍ତ୍ରୀଠାରୁ ମନ୍ତ୍ରୀ ଯାଏ ସ୍ୱାଗତ ଉତ୍ସବେ ।

ନଗରରୁ କ୍ରମେ ବ୍ୟାପି ଗ୍ରାମ ଗ୍ରାମାନ୍ତର

ମଦର ମହିମା ଗାଏ ପଞ୍ଚାୟତ ଘର ।।

***

 

ଚାରି

 

ବାପୁଜୀଙ୍କ ଆଉ ଏକ ଥିଲା କଳପନା

ଗ୍ରାମ ପଞ୍ଚାୟତେ ହେବ ସବୁ ବୁଝାମଣା ।

 

ଗ୍ରାମର ମୁଖିଆମାନେ ଗଢ଼ି ପଞ୍ଚାୟତି

ଗ୍ରାମର କଳିକଜିଆ କରିବେ ନିଷ୍ପତ୍ତି ।

 

କଚେରୀରେ ଅକାରଣେ ଅର୍ଥ କ୍ଷୟକରି

ସର୍ବସ୍ୱାନ୍ତ ନ ହୋଇବେ ପଲ୍ଲୀ ନରନାରୀ ।

 

ଗ୍ରାମର ଉନ୍ନତି ଲାଗି ଯେତେକ ଯୋଜନା

ପଞ୍ଚାୟତଘରେ ସବୁ ହେବ ବୁଝାମଣା ।

 

ଏଥିପାଇଁ ପଞ୍ଚାୟତି ଆଇନି ହୋଇଲା

ଠାବେ ଠାବେ ପଞ୍ଚାୟତ ସମିତି ବସିଲା ।

 

କୁଶାସନ ଯୋଗୁଁ କିନ୍ତୁ ଫିଳିଲା ଓଲଟା

ଗ୍ରାମେ ଗ୍ରାମେ ଲାଗିଗଲା କଳି ଘନଘଟା ।

 

 

 

ସବୁଠାରେ ଶୁଣ ଆଜି ଲାଗିଛି କନ୍ଦଳ

ଗାଆଁର ଟୋକାଏ ସବୁ ହୋଇ ମେଳ ମେଳ ।

 

କେ କହେ ମୁଁ କମ୍ୟୁନିଷ୍ଟ ସର୍ବହରା ସେନା

ପୁରୁଣା ନିୟମ ଭାଙ୍ଗି କରିଦେବି ଚୂନା ।

 

ଆଉ କିଏ କହେ ମୁହିଁ ଖାଣ୍ଟି ସାମ୍ୟବାଦୀ

ଧନୀ ଲୋକମାନଙ୍କର ଭାଙ୍ଗି ଦେବି ଆଧି ।

 

ଗାନ୍ଧିନୀତି ମୁଖା ପିନ୍ଧି କଙ୍ଗସେ ଦଳ

ସତ୍ୟ ଅହିଂସାର ନାମେ ପକାନ୍ତି ଚହଳ ।

 

ଜନ ସେବା ନାମେ ଚାଲେ ଆତ୍ମସେବା ଯଜ୍ଞ

ଛାତି ଫୁଲାଇ ଚାଲନ୍ତି ଯେତେକ ଅଯୋଗ୍ୟ ।

 

ପ଼ଞ୍ଚାୟତ ନିର୍ବାଚନ ଚାଲେ ଯେତେବେଳେ

ଦଙ୍ଗାହାଙ୍ଗମାରେ ସାରା ଦେଶଟା ଉଛୁଳେ ।

 

ଦଳ ଦଳ ମଧ୍ୟ ଗୋଳ, ଫାଟେ କାର ମୁଣ୍ଡ

କେତକ ସ୍ଥାନେ ଘଟିଯାଏ ତେ ହତ୍ୟାକାଣ୍ଡ ।

 

ଶତ ମାଲିକଦ୍ଦମା, ଶତ ଫୌଜଦାରୀ

ସାକ୍ଷୀଧରୀ ସଙ୍ଗେ ଲୋକେ ଚାଲନ୍ତି କଚେରୀ ।

 

ପଲ୍ଲୀର ସେ ସରଳତା ଆଜି ଆଉ କାହିଁ ?

ନିରସ ରାଜନୀତିରେ ପଲ୍ଲୀବାସୀ ବାୟୀ ।

 

ଭାଗବତ ଟୁଙ୍ଗି ଘରେ ଭାଗବତ ପଢ଼ା

ପରିବର୍ତ୍ତେ ଚାଲେ ରାଜନୀତିର ଆଖଡ଼ା ।

 

ରାମାୟଣ, ହରିବଂଶ, ଭାଗବତ ପୋଥି

ଉଇଙ୍କ ଆହାର ହୁଏ; କାହିଁ ସଦଗତି ?

 

ସିନେମାସଙ୍ଗୀତ ଶୁଣି, ପଢ଼ି ଉପନ୍ୟାସ

ପଲ୍ଲୀର ଯୁବ ସମାଜ ପିଉଛନ୍ତି ରସ ।

***

 

ପାଞ୍ଚ

 

ବାପୁଜୀ କହିଲେ,      “କପଟତା ତେଜି

ସତ୍ୟ ଆଚରଣ କର”

ସେ କଥା ନେତାଏ      ସଭା ସମିତିରେ

କହୁଥାନ୍ତି ବାର ବାର ।

 

କାମରେ ସେ କିନ୍ତୁ      କରନ୍ତି ଓଲଟା

ମୋଡ଼ୁ ଥାନ୍ତି ଯେତେ ପେଞ୍ଚ,

ନେତାଙ୍କର ଶହେ      କଥାରେ ବୁଝିବ

ପୁରା ପାଞ୍ଚ କୋଡ଼ି ମିଛ ।

 

ଜନତାର ସେବା      କେବଳ ଛଳନା

କ୍ଷମତା ଲାଳସା ସାର

ବଢ଼ି ମରୁଡିରେ       ଯେତେ ପାଟି ତୁଣ୍ଡ

ନିଜ ନାମର ପ୍ରଚାର ।

 

ପାଇଗଲେ ଥରେ      ଜନତାର ଭୋଟ୍

କ୍ଷମତା ଆସିଲେ ହାତେ,

 

 

 

ନେତା ସଙ୍ଗେ ଭେଟ      ନମିଳେ ସହଜେ

ଡାକୁଥାଅ ତମେ ଯେତେ ।

 

ପ୍ରିୟାପ୍ରୀତି, ଭାଇ      ବନ୍ଧୁ ସଙ୍ଗେ ଖାଲି

ଚାଲେ ତାଙ୍କ କାରବାର,

ନୀତି ଅନୀତିର      ବିଚାର ନଥାଏ

ସାର ନିଜ ରୋଜଗାର ।

 

ବଡ଼ନେତା ହୋଇ      ମନ୍ତ୍ରୀ ଆସନରେ

ବସିଗଲା ଥରେ ଯିଏ,

ସାତ ପିଢ଼ି ପାଇଁ      ସମ୍ପତ୍ତି ସାଇତି

ରଖିବା ତା ସକ୍ଷ୍ୟ ହୁଏ ।

 

ଭୋଟ ନେବା ବେଳେ      ଯେତେ ମିଠା କଥା

ଯେତେ ନିଜ ବାହାଦୂରୀ,

ବିପକ୍ଷ ଦଳଟା             ଦୁର୍ନୀତି କରୁଛି

ବୋଲି କରୁଥାନ୍ତି ହୁରି ।

 

ନିର୍ମଳ ଶାସନ      ଚଳାଇବା ପାଇଁ

ପ୍ରତିଜ୍ଞା କରନ୍ତି କେତେ,

ଶାସନ ଗାଦିରେ      ଥରେ ବସିଲେ

ସବୁକାମ ହୁଏ ଫତେ ।

 

ପାଞ୍ଚଟି ବରଷ      ତାଙ୍କ ଉଆସକୁ

ନପାରିବ ଭାଇ ଯାଇ,

ପ୍ରବେଶ ପାଆନ୍ତି      ବଡ଼ କଣ୍ଟ୍ରାକ୍ଟର

ଯେତେ ବଡ଼ ବ୍ୟବସାୟୀ ।

 

ଖବରକାଗଜେ      ଶୁଣାନ୍ତି କେବଳ

ଲମ୍ବା ଲମ୍ବା ଉପଦେଶ,

ତୁମର ଓଜର      ଆପତ୍ତି, ଗୁହାରୀ

ନ ପଶଇ ତାଙ୍କ ପାଶ ।

 

ଭୋଟ୍ ବେଳ ହେଲେ      ତୁମ ପାଇଁ ତାଙ୍କ

ଅନ୍ତର ଉଠଇ କାନ୍ଦି,

ସରଳ ଅନ୍ତରେ      ଭୁଲି ଯାଅ ନାହିଁ

ତାଙ୍କ ସବୁ କାରସାଦି ।

 

କି ହେବାର ଥିଲା      କିସ ପୁଣି ହେଲା

ଏହି କଥା ଭାଳି ଭାଳି,

 

ଏ ଦେଶର ସାଧୁ      ସୁଜ୍ଞଜନଙ୍କର

ନୟନୁ ଝରଇ ବାରି ।

 

ନିରୀହ ଜନତା      ତ୍ରାହି ତ୍ରାହି ଡାକେ

ଉଛୁଳଇ ସାରା ଦେଶ,

ଶାସକ ଶୋଷକ      ହୋଇ ଏକ ମେଳ

ସମାଜେ ଭରନ୍ତି ବିଷ ।

 

ନ୍ୟାୟ ଧର୍ମ ଯାର      ହୃଦୟରେ ନାହିଁ

ଶାସକ ଆସନେ ବସି,

ଦେଶବାସୀଦତ୍ତ      ରାଜକୋଷ ଅର୍ଥ

ନିମିଷେ ନିଅନ୍ତି ଶୋଷି ।

 

ଖାଦ୍ୟରେ ତ ସବ      ଅଖାଦ୍ୟ ମିଶାଇ

ବ୍ୟବସାୟୀ ଗଢ଼େ ପୁଞ୍ଜି,

କିଏ ସେ ଧରିବ ?      ଆଇନ୍ ଅଚଳ

ଚାନ୍ଦା ରଖିଛନ୍ତି ଖଞ୍ଜି !

 

ଚାଉଳରେ ଗୋଡ଼ି,      ଡାଲିରେ ବାଜରା,

ଅଟାରେ ତେନ୍ତୁଲି ମଞ୍ଜି,

 

 

ମିଶା ତେଲ ଖାଇ      କେତେ ଲୋକଙ୍କର

ଯମ ନିତି ପୋଛେ ପାଞ୍ଜି ।

 

କହିକି ପାରିବ      ବ୍ୟବସାୟୀ ଜାତି

ଧରମ କରେନା ଶେଷେ ?

ହଜାର ହଜାର      ମଣିଷଙ୍କୁ ମାରି

କୋଟି ପିମ୍ପୁଡିଙ୍କୁ ପୋଷେ ?

 

ପିମ୍ପୁଡ଼ି ଗାତରେ      ଗୁଡ଼ ଟିକେ ଟିକେ

ଦେଇ ବୁଢା ବ୍ୟବସାୟୀ,

ମନେ ଭାବି ନିଏ             ତାଙ୍କ ଆଶୀର୍ବାଦେ

ସବୁ ପାପ ଯିବ ଧୋଇ ।

 

ତୁମେ ଯେବେ କିଣ      ସଉଦା ପତର

ଗୋଶାଳା ପାଇଁକି ଚାନ୍ଦା,

ବ୍ୟବସାୟୀ ନିଏ,      ଗୋ ଜାତିର ସେବା

ଆଉ ଏକ ତାର ଫନ୍ଦା ।

 

ଗୋଶାଳାର ସବୁ      ଖାଣ୍ଟି ଦୁଧ ଯାଏ

ବ୍ୟବସାୟୀ ପିଲା ପାଇଁ,

ତମ ପିଲା ପାଇଁ      ପାଉଡର ଦୁଧ

ବିଦେଶୁ ଆସୁଛି ବହି ।

 

ଖାଣ୍ଟି ଘିଅ ଯାଏ      ମନ୍ତ୍ରୀ, ବ୍ୟବସାୟୀ,

ବଡ଼ ଅଫିସର ଘରେ,

ଖାଣ୍ଟି ଘିଅ ବିନା      ନ ରୁଚିବ ତାଙ୍କୁ

ରନ୍ଧା ଆଉ କେଉଁଥିରେ !

 

ତମ ପାଇଁ କିନ୍ତୁ      ଭିଟାମିନ ଭରା

ଖାଣ୍ଟି ବନସ୍ପତି ଘିଅ,

ତମ ଘର ଦିଅଁ      ପୂଜା ପାଇଁ ଘିଅ

ଖୋଜିବା ବଡ଼ ଅନ୍ୟାୟ !

***

 

ଛଅ

 

ସେବା ମନୋଭାବ      ଟିକିଏ ନ ଥାଇ

ଡାକ୍ତର ହୁଅନ୍ତି ସୃଷ୍ଟି,

ରୋଗୀ ରୋଗ ଭଲ      ହେଉ ବା ନ ହେଉ

ଦରମା ଉପରେ ଦୃଷ୍ଟି ।

 

ଡାକ୍ତରଖାନାରେ      ଶଯ୍ୟାରେ ଅଭାବ

ଶୁଣାଯାଏ ସବୁବେଳେ,

ବଡ଼ ଡାକତର       ଫିଇସ ପାଇଲେ

ଶଯ୍ୟା ମିଳିଯାଏ ବଳେ ।

 

ଏତିକିରେ କିନ୍ତୁ      ହୁଏନି ସୁବିଧା

ଆଉ କିଛି ଦରକାର,

ସେବିକା, ବେହେରା      ବକସିସ ପାଇଁ

ରହିଥିବ ହୁସିଆର ।

 

ଫିଇସି ଦେବାକୁ      ଅକ୍ଷମଟି ଯିଏ

ଚିକିତ୍ସା ତାହାକୁ ମନା,

 

 

 

ତାହା ପାଇଁ ଖୋଲା      ଶସ୍ତା ଔଷଧର

ଦାତବ୍ୟ ଡାକ୍ତରଖାନା ।

 

ହୋଇଥିବ ଯେବେ      ବଡ଼ ହାକିମଙ୍କ

ବନ୍ଧୁ, ଶଳା ଅବା ଜ୍ୱାଇଁ,

ଅବା ମନ୍ତ୍ରୀଙ୍କର      ଲେଖାଯୋଖା ବନ୍ଧୁ

ସୁପାରିଶ ଥିବ ପାଇ;

 

ତେବେ ତମ ପାଇଁ      ତାକ୍ତର ହୃଦୟ

ଦରଦ ଦେଖିବ କେତେ !

ସ୍ୱତନ୍ତ୍ର ବ୍ୟବସ୍ଥା      ସଙ୍ଗେ ସଙ୍ଗେ ଥୁଆ

ମାଗଣା କେବିନ୍ ସାଥେ ।

 

ଏ ଦେଶ ପ୍ରାଚୀନ      ଆୟୁର୍ବେଦ ଜ୍ଞାନ

ଏବେ ପାଇନାହିଁ ଲୋପ,

ତାର ବିକାଶରେ      ଭାଙ୍ଗି ପାରିଥାନ୍ତା

ପାଶ୍ଚାତ୍ୟ ଚିକିତ୍ସା ଦର୍ପ ।

 

ଯେଉଁ କେତେଜଣ      କବିରାଜ ପଣେ

ଦୋକାନ ଅଛନ୍ତି ଖୋଲି,

ଚିକିତ୍ସା ବଦଳେ      ଭାଙ୍ଗ ଗଞ୍ଜାଇର

ମୋଦକ ବିକନ୍ତି ଖାଲି ।

 

ହଜାର ହଜାର      ଇସ୍କୁଲ, କଲେଜ

ବସିଲାଣି ଆଜି ଦେଶେ,

ଲକ୍ଷ ଲକ୍ଷ ଛାତ୍ର      ପାଠ ପଢ଼ୁଛନ୍ତି

ଶିକ୍ଷିତ ହେବା ମାନସେ ।

 

ଡିପ୍ଲୋମା, ଡିଗିରୀ,      ସାର୍ଟିଫିକେଟରେ

ପାଠପଢ଼ା ହୁଏ ମାପ,

ଦେଶର ସଂସ୍କାର       ପୋଡ଼ି ଜଳିଯାଏ

ସତ୍ୟତା ହେଲାଣି ଲୋପ ।

 

ବାପ-ମାଆଙ୍କର      ପୁରୁଣା କାଳିଆ

ବ୍ୟବହାର ଏବେ ଦେଖି,

ଶିକ୍ଷିତ ପିଲାଏ      ନାକ ଟେକୁଛନ୍ତି

ଭକତି ଗଲାଣି ଶୁଣି ।

 

ପାଠ ପଢ଼ା ବୋହୂ       ସହି ନ ପାରଇ

ଶାଶୁ ଶ୍ୱଶୂରଙ୍କ ଅଳି,

 

 

ସେମାନଙ୍କ ଠାରୁ      ଦୂରେ ରହିବାକୁ

ସ୍ୱାମୀ ସଙ୍ଗେ କରେ କଳି ।

 

ପିତାମାତାଙ୍କର      ମନୋନୀତ କନ୍ୟା

ପୁଅ ମନକୁ ନ ମାନେ,

ବିନା ବିଚାରରେ       ଇଚ୍ଛାବରଣରେ

ନିଜକୁ ସେ ଧନ୍ୟ ମଣେ ।

 

ଶିକ୍ଷା ଅନୁଷ୍ଠାନେ       ଶୃଙ୍ଖଳା ବିଧାନ

କେବେଠୁଁ ଗଲାଣି ଉଠି,

ଶୃଙ୍ଖଳା ଶବଦ       ଉଚ୍ଚାରଣ କଲେ

ହୁଏ ଏବେ ଢେଲା ବୃଷ୍ଟି ।

 

ଶିକ୍ଷକଙ୍କ କଥା       ପିଲାଏ ଶୁଣିବା

ଆଗ କାଳେ ସିନା ଥିଲା;

ପିଲାଙ୍କର କଥା       ନ ଶୁଣିଲେ ଏବେ

ଶିକ୍ଷକ ଚାକିରୀ ଗଲା ।

 

ଧର୍ମଘଟ ହେବ,       ଘେରାଉ ଚାଲିବ,

ଛାତ୍ରଙ୍କ କଥାରେ ଯେବେ

ପାଟି ଫିଟାଇଛି,       ପ୍ରଧାନ ଶିକ୍ଷକ

ରକ୍ଷା ନାହିଁ ଆଉ ତେବେ ।

 

ଶିକ୍ଷକ ଦେଖୁଛି,       ବିଦ୍ୟାଳୟେ ପାଠ

ପଢ଼ାଇଲେ ନାହିଁ ଲାଭ,

କେତେ ଟଙ୍କା ମାତ୍ର       ଦରମା ପାଇଁକି

ସବୁ ଶକ୍ତି ତାର ଯିବ ।

 

ଘରେ ଟିଉସନ       ଚଳାଇ ପାରିଲେ

ବ୍ୟବସାୟ ଠାରୁ ବଳି,

ରୋଜଗାର କରି       ହେବ ବଡ଼ ଲୋକ

ତିନି ତାଲା କୋଠା ତୋଳି ।

 

ପିଲାଙ୍କ ଭିତରେ       ସୁଶୀଳ ସ୍ୱଭାବ

ଫୁଟାଇବା ଯାର କାମ,

ସେ ହେଲେ କାମୁକ       ଭଣ୍ତ ସ୍ୱାର୍ଥପର

ଦେଶୁ ଛାଡ଼ିଯାଏ ଧର୍ମ ।

 

ଶହେ ରେ ଜଣେ ବା       ଦି ଜଣ ଶିକ୍ଷକ

ଆଦର୍ଶ ଅଛନ୍ତି ରଖି,

 

 

ମୂଳ ଖାଲି ସ୍ୱାର୍ଥ      ଶିକ୍ଷା ଦାନ ପଛ

ଆଉ ଯେ ରହିଲେ ବାକି ।

 

ଏକପତ୍ନୀ ଥାଉ      ଆନ ଯୁବତୀକୁ

କୌଶଳେ ବିବାହ କରି,

ଉପର ହାକିମେ       ତୋଷି କେ ଶିକ୍ଷକ

ପ୍ରମୋସନ ନିଏ ମାରି ।

 

ଉନ୍ନତି ନାମରେ       ଚାନ୍ଦା ଉଠାଇଣ

ନିଜ ଘର କିଏ ତୋଳେ

ପରୀକ୍ଷା ଆଗରୁ        ପ୍ରଶ୍ନ ପତ୍ର ବିକି

ଧନୀ ପାଲଟଇ ହେଳେ ।

 

ପରୀକ୍ଷା ବେଳରେ       ବିଭ୍ରାଟ ଘଟୁଛି

କିଏ ସେଥିପାଇଁ ଦାୟୀ ?

ଶିକ୍ଷକଙ୍କୁ ଛାଡ଼ି       ଛାତ୍ର ସମାଜକୁ

ଦୋଷୀ ବୋଲି ଭାବ ନାହିଁ

 

ଅନ୍ୟାୟ, ଅନୀତି       ଚୋରି,ଧପାବାଜି

ଦେଶେ ବାନ୍ଧିଲାଣି ବସା,

ନ୍ୟାୟ ପାଇଁ ଗଲେ       ନ୍ୟାୟ ଦରବାରେ

ଆଗ ଖରଚ ପଇସା ।

 

ପେଶକାର ଠାରୁ       ପିଅନ ପର୍ଯ୍ୟନ୍ତ

ସଭିଙ୍କ ପାଉଣା ଲୋଡ଼ି,

ମିଠା କଥା କହି       ମୋହରିର ଭାଇ

ନିଅନ୍ତି ରସ ଚିପୁଡ଼ି ।

 

ସବୁଠାରୁ ବେଶୀ       ଓକିଲଙ୍କ ଫିସ

ଭାଗ୍ୟ ଥିଲେ ଯିବ ବଞ୍ଚି,

ନ୍ୟାୟ ଦରବାରେ       ସବୁ ଯିବ ସରି

ଯେତେ ରଖିଥିବ ସଞ୍ଚି ।

 

ଧନୀ ଲୋକପାଇଁ       ସଭିଙ୍କ ଦରଦ

ଆଇନ ତାହାର ପଟ

ଗରିବ ବିଚାରୀ      କଚେରୀକୁ ଗଲେ

ହୁଏ ଖାଲି ଛଟପଟ ।

 

ପୋଲିସଙ୍କ ସଂଖ୍ୟା      ବଢ଼େ ଦିନୁଁ ଦିନ

ବସେ ନୂଆ ନୂଆ ଥାନା,

 

 

ଚୋରୀ ,ଆଉ      ଖଣ୍ଟ ବୃତ୍ତି

ନ ହୁଏ ଏବେ କଳନା ।

 

ଠାବେ ଠାବେ ଲାଗି      ଯାଏ ମାଡ଼ଗୋଳ

ନଥାଇ କିଛି କାରଣ,

ଧର୍ମଘଟ, ଦଙ୍ଗା      ନିତିଦିନ କଥା

ଅଚଳ ହୁଏ ଆଇନ ।

 

ପେଟ ପୋଷିବାକୁ      ଚୋରି କଲା ଲୋକ

ଧରାପଡ଼ି ଭୋଗେ ଦଣ୍ଡ,

ବଡ଼ ଡକାୟତ      ପୋଲିସଙ୍କ ବୁଦ୍ଧି

ହେଳେ କରିଦିଏ ପଣ୍ଡ ।

 

ସବୁଠୁଁ ଆଶ୍ଚର୍ଯ୍ୟ             ଦେଶ ସେବା ନାମେ

ହୁଏ ଯେତେ ଡକାୟତି,

ବୋମା ବନ୍ଧୁକର             କାରବାର ସେଠି

ପୋଲିସର ଥରେ ଛାତି ।

 

 

 

 

ବିକ୍ଷୋଭ ନାମରେ      ଦଙ୍ଗା, ଭଙ୍ଗାରୁଜା

ବେଉସା ଯାହାର ମୂଳ,

ସଭା ସମିତିରେ      ଗରଜି କହନ୍ତି

ତିଳକୁ କରିଣ ତାଳ ।

 

ଆଜି ଯାକୁ ଲୋକେ      ଡହରା କହନ୍ତି

କାଲି ହୋଇପାରେ ନେତା,

ପୋଲିସ ଆଇନ      ସେଠି ବି କୋହଳ

ଜଗି ରଖି କହେ କଥା ।

 

ତେଣୁ ପୋଲିସଙ୍କ      ଶାନ୍ତିରକ୍ଷା କାମ

ଆପେ ହୁଏ ସଙ୍କୁଚିତ,

ଲରି, ଟାକ୍ସି ଚଳା      ଦୁର୍ଘଟଣା ଆଉ

ଅପମୃତ୍ୟୁରେ ସୀମିତ ।

***

 

ସାତ

 

ଗାନ୍ଧୀଙ୍କ କଳ୍ପନା ତାଙ୍କ ସାଥେ ଗଲା ହକି,

ସବୁଆଡ଼େ ଦେଖ ଶାସନ ଯାଉଛି ଭାଜି ।

 

‘ରାମ ରାଜ୍ୟ’ ହେବ ବୋଲି ଯାହା ଶୁଣାଥିଲା,

ରାବଣ ରାଜ୍ୟଠୁଁ ହୀନ ଏବେ ଆସି ହେଲା ।

 

ଯୋଜନା ଉପରେ ଯୋଜନା ହେଉଛି ଗଢ଼ା,

କଳ- କାରଖାନା ଠାବେ ଠାବେ ହୁଏ ଛିଡ଼ା ।

 

ମରୁଡ଼ିରୁ ରକ୍ଷା ବଢ଼ି ହେବା ପାଇଁ ବନ୍ଦ,

କୋଟି କୋଟି ଖର୍ଚ୍ଚେ ଗଢ଼ାହୁଏ ନଦୀବନ୍ଧ ।

 

ରାଜପଥ ଯାଏ ଲମ୍ବି, ନୂଆ ରେଳପଥ,

ବନ୍ଦର, ବିମାନ ଘାଟି ବସେ ଶତଶତ ।

 

ବିଜୁଳି ଆଲୁଅ ନଗରରୁ ଯାଏ ଗ୍ରାମେ,

ସହରୀ-ସଭ୍ୟତା ପଲ୍ଲୀରେ ବ୍ୟାପଲ କ୍ରମେ ।

 

 

 

ଗାଆଁ ଦୋକାନରେ ସିଗାରେଟ ହୁଏ ବିକା,

ଚାହା ପିଆଲାରେ ଚୁମ ଦିଏ ଗାଆଁ ଟୋକା ।

 

ଗାଏଁ ଗାଏଁ ବୁଲେ ବ୍ଳଅକ ଅଫିସ ଗାଡ଼ି,

ଗାଆଁ ସଡ଼କରେ ବିଛା ହୁଏ ନାଲି ଗୋଡ଼ି ।

 

ଜନମ ନିରୋଧ ପରିବାର ନିୟନ୍ତ୍ରଣ,

କାନ୍ଥରେ ବାଡ଼ରେ ନାନା ରଙ୍ଗେ ବିଜ୍ଞାପନ ।

 

ଏଦେଶର ନାରୀ ପାଲଟିବା ପାଇଁ ବନ୍ଧ୍ୟା,

ଦିନରାତି ଚାଲେ ନିର୍ଲଜ ପ୍ରଚାର ଫନ୍ଦା ।

 

ଯୋଜନା ପାଇଁକି ବସେ ନୂଆ ନୂଆ କର,

ସବୁ ଜିନିଷର ଦିନୁଁ ଦିନ ବଢ଼େ ଦର ।

 

ମଧ୍ୟବିତ୍ତ ଜନ କର ଭାରେ ଯାନ୍ତି ଦବି,

ଅନ୍ନ, ବସ୍ତ୍ର, ବାସ ଅଭାବକୁ ଭାବି ଭାବି ।

 

ଯୋଜନାରେ ଯେତେ ଖରଚ ହୁଅଇ ଅର୍ଥ;

ବେଶୀ ଭାଗ କରେ ବ୍ୟବସାୟୀ ଆତ୍ମସାତ ।

 

କିଛି ଚାଲିଯାଏ ବଡ଼ ଅଫିସର ଘରେ,

ବାକି ଯାହା ଲାଗେ ଦେଶବାସୀଙ୍କ ସେବାରେ ।

 

କେତେ ଜଣଙ୍କର ତୋଳା ହୁଏ ନୂଆ କୋଠି,

ସାଧାରଣ ଲୋକ ଫିଟାଇ ପାରେନା ପାଟି ।

 

ବଢ଼ାଇବା ପାଇଁ ଶାସନର ସନମାନ

ପ୍ରଚାରର ଖାଲି ଚାଲିଅଛି ଅଭିଯାନ ।

 

ପୂର୍ବୁ ଦେଶେ ଥିଲା ଯେତେ ନରଦମା ନାଳି,

ସଫା ନୋହି ଖାଲି ପକାହୁଏ ଏବେ ତାଳି ।

 

ବଣ ଜଙ୍ଗଲରେ ଅଗଣିତ ବନବାସୀ,

ଏବେ ବି ବୁଲନ୍ତି କନ୍ଦମୂଳେ ପେଟ ପୋଷି ।

 

ସଭ୍ୟତାଆଲୋକ ଛୁଏଁନି ତାହାଙ୍କ ପଲ୍ଲୀ,

ବୁଝିଲେଣି କେବେ ନିଜକୁ ସ୍ୱାଧୀନ ବୋଲି ?

 

ଚାହା କ୍ଷେତ ଆଉ କୋଇଲା ଖଣିର କୁଲି,

ଭୂଇଁ ପରେ ଯାର ନାହିଁ ବାସ ଅବା ଚୁଲି ।

 

ଗଢ଼ା ହୁଏ ଯହିଁ ସରକାରୀ କୋଠାଘର,

ବସେ କାରଖାନା ଅବା ଖୋଳାହୁଏ ନାଳ ।

 

ନୂଆ ରେଳପଥ ଅବା ନୂଆ ଖଣି ଖୋଳା,

ଦଳ ଦଳ ହୋଇ ସେଇଠି ପକାନ୍ତି ପଲା ।

 

କଣ୍ଟ୍ରାକ୍ଟରଙ୍କର ଖାତାରେ ଲେଖାଇ ନାଆଁ,

ପେଟ ପୋଷେ ସଦା ଯେଉଁ ଦିନ ମଜୁରିଆ ।

 

ଥିଲେ ବି ତା ନାଆଁ ଭୋଟର ତାଲିକା କୋଣେ,

ବୁଝିଲାଣି କି ସେ ସ୍ୱାଧୀନ ଦେଶର ଜଣେ ?

 

କୁଟୀର ଶିଳିପ ମାଛଚାଷ, ଫଳବଣ,

କୃଷି ଉନ୍ନୟନ ଘର ତୋଳା ପାଇଁ ଋଣ ।

 

ଆକାଶବାଣୀରୁ ପ୍ରଚାର ହୁଅଇ ଯେତେ

ପ୍ରକୃତ ସୁବିଧା ପାଆନ୍ତି ଦେଶର କେତେ ?

 

ସରକାରୀ ଘରେ ପରିବେଶ ଅଧିକାର,

ମଳିମୁଣ୍ତିଆଙ୍କୁ ମନା ପରା ଚିରକାଳ ।

 

ଧୋବଧାଉଳିଆ ଅବା ଗାଆଁ ଟାଉଟର

କରିପାରେ ଯିଏ ଭିତିରିଆ କାରବାର ।

 

ସେମାନେ କେବଳ ଉଠାନ୍ତି ଫାଇଦା ସେଠି,

ମଳିମୁଣ୍ଡିଆଏ ଚାହିଁଥାନ୍ତି ଓଠ ଚାଟି ।

 

କଳ କାରଖାନା ଶ୍ରମିକଙ୍କ କରି ମେଳି,

ମାଲିକ ସଙ୍ଗରେ ଅଯଥା ଲଗାଇ କଳି ।

 

ତଳିଆ ନେତାଏ ଅଳିଆ କରନ୍ତି ବେଶୀ,

କାରଖାନା ଲାଭ ଧୀରେ ଧୀରେ ଯାଏ ଖସି ।

 

ଲୋକସାନ ହୋଇ କାରଖାନା ଯେବେ ଭାଜେ,

ବେକାର ଶ୍ରମିକ ବୁଲିଣ ଚାକିରୀ ଖୋଜେ ।

 

ନେତାଙ୍କ ମୁହଁରୁ ପଦେ ହେଲେ ମିଠା କଥା,

ଶୁଣିବେନି କେବେ ପିଟିଦିଅ ପଛେ ମଥା ।

 

ରେଳବାଇ ଆଉ ଡାକ ତାର କର୍ମଚାରୀ,

ସରକାରୀ ଘରେ ଯେତେ ତଳିଆ ଚାକିରି ।

 

ସଙ୍ଗଠନମାନ ହୋଇଗଲାଣି ଏବେ ଗଢ଼ା,

ଧର୍ମଘଟ ଚାଲେ ନହେଲେ ଦରମା ବଢ଼ା ।

 

କର୍ତ୍ତବ୍ୟରେ କିନ୍ତୁ ଅବହେଳା କଲେ କେହି,

ଉପର ହାକିମ ପଦେ ପାରିବନି କହି ।

 

ଟେଲିଗ୍ରାମ ହୁଏ ପହଞ୍ଚିବା ପାଇଁ ବେଗେ,

ଦି ଘଣ୍ଟା ଯାଗାରେ ଆଠଦିନ ଯଦି ଲାଗେ ।

 

ପ୍ରିୟଜନଠାରୁ ତୁମର ଜରୁର ଚିଠି,

ଡାକଘରୁ ଯେବେ କେବେ ନ ପାରିଲା ଉଠି ।

 

ଧରି ନେବ ତେବେ କପାଳ ତମର ମନ୍ଦ ?

‘କର୍ତ୍ତବ୍ୟରେ ନିଷ୍ଠା ’ପୁଞ୍ଜିବାଦ ଗଢ଼ା ପଦ !

 

ବିଦେଶୀ ଢ଼ାଞ୍ଚାରେ ସଭ୍ୟତା ହେଉଛି ମପା;

ବାହାଦୂର ସିଏ ମାରିପାରେ ଯିଏ ଧପା ।

 

ଜାତିର ଏକତା ଧୀରେ ଧୀରେ ଯାଏ ଭାଜି,

ପରଦେଶ ପ୍ରୀତି ମନେ ପୋତିଲାଣି ମଞ୍ଜି ।

 

କିଏ କହୁଅଛି ‘ଆମେରିକା ଦେଶ ଭଲ,

କେ କହେ, ରୁଷିଆ ଦିଅଇ ଶ୍ରମର ମୂଲ’ ।

 

ନକସଲ ପନ୍ଥୀ ଗରଜନ କରି କହେ,

ଚାଇନାଠୁ ବଳି ଆଉ ବାହାଦୁର କିଏ ?

 

ଶାସନ କଳକୁ ଅଚଳ କରିବା ଲାଗି,

ମେଳ ବାନ୍ଧିଲେଣି ଯେତେ ଚୋର, ଖଣ୍ଟ, ଦାଗୀ ।

 

ଯାଇ ପାରିବନି କେଉଁଆଡ଼େ ନିରାପଦେ,

ବିପଦ-ସଙ୍କେତ ଶୁଣାଯାଏ ପ୍ରତି ପଦେ ।

 

ବିପଦଶଙ୍କୁଳ ଆମ ଚାରିପାଖ ରାସ୍ତା,

ମଣିଷ ଜୀବନ ହୋଇ ଗଲାଣି ତ ଶସ୍ତା ।

 

ସ୍ନେହ, ପ୍ରୀତି, ମୈତ୍ରୀ ସହାନୁଭୂତି, କରୁଣା,

ଯେଉଁ ସବୁ ଗୁଣ ମାନବିତକାରେ ଗଣା ।

 

ସାଧୁଜନ ଭାଳେ ଆଜି ଗଲା କେଉଁଆଡ଼େ ?

ହଜି ଗଲାଣି କି ପ୍ରଗତିର ପଙ୍କ ଗାଡ଼େ ?

 

ଏଣେ ଶାସନର ଗାଦିରେ ଯିଏବା ଛନ୍ତି,

କ୍ଷମତା ସୁଆଦେ ମତୁଆଲା ଦିନ ରାତି ।

 

(ତାଙ୍କୁ) କ୍ଷମତା ଲାଳସା ଜଳକା ଦେଇଛି କରି,

କ୍ଷମତା ଲୋଭରେ ବାନ୍ଧିଲେଣି ଶହେ ମେଳି ।

 

ଆଦରଶ ବୋଲି ଯାହାକୁ ପୂଜନ୍ତା ଜାତି;

ହସମାଡ଼େ ଦେଖି ତାଙ୍କର ଏ ଅଧୋଗତି ।

 

ଦେଶ ସେବା ହଜେ କ୍ଷମତା କୁହୁକମନ୍ତ୍ରେ,

ଗଣତନ୍ତ୍ର କାହିଁ ଲୁଚି ଯାଏ ବଣତନ୍ତ୍ରେ ।

 

ଟିକସ ଉପରେ ଟିକସ ବସଇ ଯେତେ

ସରକାର ପାଇଁ ନିଅଣ୍ଟିଆ ପଡ଼େ ତେତେ ।

 

ଉପାୟ ନ ପାଇ ବଢ଼ାଇଲେ ନିଶାଖିଆ,

ଉନ୍ନୟନ ନାମେ ସରକାର ଖେଳେ ଜୁଆ ।

 

କେତେ ଆୟକର ଅବକାରୀ ଅଫିସର,

ନିଜର ଫାଇଦା ଦେଖି କରେ କାରବାର ।

 

ଅଙ୍ଗେନିଭା ଲୋକ ବୁଝି ପାରୁଥିବ ବଳେ,

ବିକ୍ରୀ କର ଘରେ ଯେଉଁ କାରବାର ଚଳେ ।

 

ମୁଗୁରା ବସିଛି ଉଜାଗର ରାତି ସାରା,

ମୁଗୁରା ପଛଟା ରହି ଯାଇଅଛି ମେଲା !

 

ଅଛୁଆଁ ଜାତିଏ ହରିଜନ ହେଲେ ଲେଖା,

ସରକାରୀ ଖର୍ଚ୍ଚେ ଦିଆହୁଏ ତାଙ୍କୁ ଶିକ୍ଷା ।

 

ଚାକିରୀ କ୍ଷେତ୍ରରେ ପାରିବେ ଯେପରି ପଶି,

କୋହଳ ଯୋଗ୍ୟତା ବୟସର ସୀମା ବେଶୀ ।

 

ବିଧାନ ସମିତି ଲୋକସଭା ଘର ପାଇଁ,

ନିର୍ଦ୍ଦିଷ୍ଟ ଆସନ ରହିଛି ବ୍ୟବସ୍ଥା ହୋଇ ।

 

ଉଚ୍ଚ ଜାତି ସଙ୍ଗେ ହେବା ପାଇଁ ସରି ସମ,

ବାଧା କେହି ଦେଲେ ହେବ ବେଆଇନ କାମ ।

 

କିନ୍ତୁ ହରିଜନ- ନାମେ ଯେତେ ଜାତିଛନ୍ତି,

ନିଜ ନିଜ ମଧ୍ୟେ ଛୁଆଁ ଛୁଇଁ ନ ହୁଅନ୍ତି ।

 

ଶୁଣାଯାଏ ଯଦି ହରିଜନ ସଙ୍ଗେ କଳି,

ସବର୍ଣ୍ଣ ଜାତିଏ କରିଛନ୍ତି ହୋଇ ମେଳି ।

 

ବୁଝିବ ତେବେ ତା’ ପଛେ ଜଣେ ନେତା କେହି,

ବ୍ୟବସ୍ଥା କରୁଛି ଭବିଷ୍ୟତରେ ଭୋଟ ପାଇଁ ।

***

 

ଆଠ

 

ଭାବିଥିଲେ ଲୋକେ ଦେଶ ପାଇଲେ ସ୍ୱରାଜ୍ୟ

ସାରା ଜଗତରେ ହେବ ଆଦରଶ ପୂଜ୍ୟ ।

 

ଭୋକ ଉପାସରେ କେହି ନ ସଢ଼ିବେ ଆଉ,

ଅନ୍ୟାୟ ଅନୀତି ଶେଷ ହେବ ଚାହୁଁ ଚାହୁଁ ।

 

ଧନ ସମ୍ପଦରେ ପୂରି ଯିବ ସବୁ ଘର,

ନ ରହିବ ଆଉ ଭେଦ ଭାବ ନିଜ ପର ।

 

ଶିକ୍ଷା ଆଲୋକ ଉଜ୍ଜ୍ୱଳ ହେବ ସବୁ ହୃଦ,

ନିର୍ମଳ ଚରିତ୍ର ହେବ ସବୁରି ସମ୍ପଦ ।

 

ଧର୍ମ ନୀତିରେ ଶାସନ ଚାଲିବ ଏ ଦେଶେ

ଜାତିର ଗୌରବ ଭରି ଯିବ ସାରା ବିଶ୍ୱେ ।

 

କି ସୁନ୍ଦର କଳପନା କି ହୋଇଲା ଶେଷେ ?

ସ୍ୱାର୍ଥ-ହିଂସା-କାମ-କ୍ରୋଧ ଭରିଗଲା ଦେଶେ ।

 

 

 

ଚାରିଦିଗେ ଆଜି ଖାଲି ଶୁଭେ ହାହାକାର,

ସ୍ୱାର୍ଥ କରିଛି ମଣିଷେ ହିଂସା ଜାନୁଆର ।

 

ସ୍ୱାର୍ଥ ସକାଶେ ଭାଇକୁ ଭାଇ ନ ଚିହ୍ନଇ

ବାପ ବେଳେ ପୁଅ ଛୁରୀ ଦିଏ ସ୍ୱାର୍ଥ ପାଇଁ ।

 

ସମାନ୍ୟ ଟିକିଏ ସ୍ୱାର୍ଥ ପାଇଁ କେତେ ଲୋକ;

ନରହତ୍ୟା କରିବାକୁ ନୁହନ୍ତି ବିମୁଖ ।

 

ହିଂସାର ତାଣ୍ଡବ ଲୀଳା ଲାଗେ ଠାବେ ଠାବେ,

ପର ଅନିଷ୍ଟ କରି କେ କେବୀର ବୋଲି ଭାବେ ।

 

ନିରୀହ ଯାତ୍ରୀଙ୍କ ପଥ କରିବାକୁ ରୋଧ,

ନ କରନ୍ତି କେତେ ଲୋକ ତିଳେ କୁଣ୍ଠାବୋଧ ।

 

ଯାତ୍ରୀବାହୀ ଯାନ ପରେ ଫିଙ୍ଗି ଅଗ୍ନି-ଅସ୍ତ୍ର,

ପଥଚାରୀଙ୍କୁ କେତେକ କରନ୍ତି ସନ୍ତ୍ରସ୍ତ ।

 

ସାମ୍ୟବାଦ ନାମେ ଆଜି କେତେ ହିଂସାକାଣ୍ଡ,

ସମାଜ ଶୃଙ୍ଖଳା ସବୁକରୁଅଛି ପଣ୍ଡ ।

 

ରାଜନୀତି ଦଳ ମଧ୍ୟେ ହିଂସା ଯାଏ ପୂରି,

ବିପକ୍ଷ ଦଳର ଦର୍ପ ଦେବା ପାଇଁ ଚୂରି ।

 

ଗ୍ରାମେ ଗ୍ରାମେ ହିଂସାକାଣ୍ଡ ନଗରେ ନଗରେ,

ଯାତାୟାତ ପାଇଁ ଭୀତି ସବୁରି ମନରେ ।

 

ସରକାରୀ କାର୍ଯ୍ୟାଳୟେ ଜାତିଆଣଭେଦ

ଜାତିର ଉନ୍ନତି ପକ୍ଷେ ନୁହେଁ କି ପ୍ରମାଦ ?

 

କି ଅଜ୍ଞ ଜନତା, ଅବା କି ଉଚ୍ଚ ଶିକ୍ଷିତ,

ସର୍ବେ ଯେହ୍ନେ ହିଂସାମନ୍ତ୍ରେ ହେଲେଣି ଦୀକ୍ଷିତ ।

 

ଶିଷ୍ଟାଚାର ଧୀରେ ଧୀରେ ଯାଏ ଅପସରି

କାମ ଚର୍ଚ୍ଚା ଚାଲେ ଏବେ ଦିବସଶର୍ବରୀ ।

 

କାମ ଉଦ୍ଦୀପକ କେତେ ଅର୍ଦ୍ଧ ନଗ୍ନ ଚିତ୍ର,

ପଥେ ଘାଟେ ଲାଗିବାର ଦେଖିୁଛିତ ନେତ୍ର ।

 

ସାହିତ୍ୟ ନାମରେ କେତେ ପ୍ରୀତି ଉପନ୍ୟାସ,

ଯୁବ ସମାଜରେ ଭରେ ନିତି କାମ ବିଷ ।

 

କଳା-କୃତ୍ତି-ସୃଷ୍ଟି ନାମେ କେତେ ଚଳଚ୍ଚିତ୍ର,

କ୍ଷଣେ କ୍ଷଣେ କରେ ନଷ୍ଟ ଜାତିର ଚରିତ୍ର ।

 

ତରୁଣତରୁଣୀଗଣ ହୋଇ ଏକଯୁଟ,

ଚିତ୍ର ତାରକା ଚରିତେ ହୁଅନ୍ତି ଉଚ୍ଚାଟ ।

 

ଯାହା ତ୍ୟାଗ ସାଧନାରୁ ମିଳିଲା ସ୍ୱରାଜ୍ୟ

ଭୁଲିଗଲା ତାଙ୍କୁ କିନ୍ତୁ ଏ ଯୁବ ସମାଜ ।

 

ଅଳପ କଥାରେ କ୍ରୋଧ ନିଆଁ ଉଠେ ଜଳି,

ଅପରକୁ ଦୋଷ ଦ୍ୟନ୍ତି କିଛି ନ ବିଚାରି ।

 

ପିଲାଠାରୁ ବୁଢ଼ାଯାଏ ସର୍ବେ କ୍ରୋଧ ଵଶ,

ମଣିଷସମାଜୁ ଶାନ୍ତି ହେଲାଣି ତ ନାଶ ।

 

ସବୁରି ମନରେ ଲୋଭ କରୁଛି ରାଜୁତି,

ଲୋଭ ପାଇଁ ସମାଜରେ ସିନା ଏ ଦୁର୍ନୀତି ।

 

ଲୋଭେ ପଡ଼ି ଅଫିସର ନେଉଅଛି ଲାଞ୍ଚ.

ଲୋଭେ ବୁଡ଼ି ନେତାମାନେ କହୁଛନ୍ତି ମିଛ ।

 

ଅର୍ଥଲୋଭରେ କର୍ତ୍ତବ୍ୟରେ ହୁଏ କେତେ ତ୍ରୁଟି,

ଲୋଭ ଦେଖାଇ ବେପାରୀ ନେଉଛନ୍ତି ଲୁଟି ।

 

ସୁଖଭୋଗର ଲାଳସା ହେଲା ଯହୁଁ ମୂଳ,

ନିଅଣ୍ଟ ପଡ଼ିଲା ଯେତେ କଲେ ରୋଜଗାର ।

 

ତେଣୁ ଯେତେ ଧନୀ ଅବା ମଜୁରିଆ ଶ୍ରେଣୀ,

ଅଭାବ ପଡ଼ିଛି ବୋଲି ହେଉଛନ୍ତି ଭଣି ।

 

ଦରିଦ୍ର ଘରେ ଅଭାବ ସୁଆଦିଆ ଖାନା,

କିରାଣିପତ୍ନୀ କାନ୍ଦଇ ଦେଖିବ ସିନେମା ।

 

ଛାତ୍ରର ଅଭାବ ଆଜି ନୁହେଁ ପଢ଼ାବହି,

ଚିତ୍ର ତାରକା ଢ଼ାଞ୍ଚାରେ ପୋଷାକ ତା ନାହିଁ ।

 

ଛାତ୍ରୀର ବଡ଼ ଅଭାବ ସ୍ନୋଅ-ପାଉଡ଼ର,

ଓଠ ରଙ୍ଗ, ଆଖି ରଙ୍ଗ ରୁମାଲ, ଅତର ।

 

ଶିକ୍ଷିତ ଯୁବକ ବୁଲି ଖୋଜନ୍ତି ଚାକିରି,

ଯୁବତୀ ଖୋଜେ ତା ପାଇଁ ସର୍ବେ ହୋନ୍ତୁ ଝୁରି ।

 

ପରିବାରର ଜଞ୍ଜାଳ ବଢ଼େ ଦିନୁ ଦିନ,

ଗୃହସ୍ଥ ସହି ନ ପାରି ହୁଏ ସ୍ୱାସ୍ଥ୍ୟ-ହୀନ ।

 

ବିବ୍ରତ ହୋଇ ଗୃହସ୍ଥ ଭାଗ୍ୟକୁ ଅଣ୍ଡାଳେ,

ରାଶିଫଳ, କୋଷ୍ଠିଫଳ ଖୋଜେ ଅବହେଳେ ।

 

ରାଶିଫଳ ପରଚାର କରି କେତେ ଭଣ୍ଡ,

ହତାଶ କରନ୍ତି ଜନେ କହି ଦୈବ ଦଣ୍ଡ ।

 

ଧର୍ମ ନାଶଗଲା ବୋଲି ଗଢ଼ି ଧର୍ମ ସଂସ୍ଥା

ପ୍ରଚାର କରନ୍ତି କେତେ ମନଗଢ଼ା କଥା ।

 

ଭବିଷ୍ୟ ମାଳିକା ନାମେ ନାନା ମିଥ୍ୟା ବାଣୀ,

ପ୍ରଚାରରେ ଆତଙ୍କିତ କରୁଥାନ୍ତି ପ୍ରାଣୀ ।

 

ଏକ ଧର୍ମ ପନ୍ଥୀ ମଣେ ଆନେ ହୀନ ନୀଚ,

ଧର୍ମ ନାମେ ଭେଦଭାବ ଚଳେ ଉଚ୍ଚାବାଚ ।

 

ପ୍ରକୃତ ସତ୍ୟରେ କାର ନହୁଏ ବିଶ୍ୱାସ,

ସାଧୁ ସ୍ୱଭାବ ଯାହାର ରହେ ଉପବାସ ।

 

ଭଣ୍ଡ ସାଧିୁ ଧର୍ମ ନାମେ କରି ଠକ ବୃତ୍ତି,

କୌଶଳେ ଆଶ୍ରମ ଗଢ଼ି ବଢ଼ାନ୍ତି ସମ୍ପତ୍ତି ।

 

ମୋକ୍ଷ ମୁକ୍ତିଯକ୍ତି ବାଢ଼ି ଦେଇ ଧର୍ମ ଆଖ୍ୟା,

ଦୀକ୍ଷା ଦେଇ ଗଣୁଥାନ୍ତି ନୀତି ଶିଷ୍ୟ ସଂଖ୍ୟା ।

 

ନୀତି ବାକ୍ୟ ଯେତେ ଯେତେ ଉଚ୍ଚାରନ୍ତି ମୁହେଁ,

ନିତିଦିନ ଆଚରଣେ ନଥାଏ ରତିଏ ।

 

ସବୁ ଦୁର୍ଗତି ବଢ଼ିଛି ଦେଶ ଛାରଖାର,

କାହା ଯୋଗୁଁ ଏ ଦୁର୍ଦ୍ଦଶା କହିବାକୁ ଡ଼ର ।

 

ଶାସନ କଳକୁ ଯିଏ ହାତ ମୁଠା ତଳେ,

ରଖିଛନ୍ତି ଏ ଦେଶରେ କଳ-କଉଶଳେ ।

 

ହୋଇଥାନ୍ତେ ଯେବେ ସିଏ ଆଦର୍ଶ ମହାନ,

ଦେଶେ କଣ ଆସିଥାନ୍ତା ଏସନ ଦୁର୍ଦ୍ଦିନ ?

 

ଧର୍ମନୀତି, ରାଜନୀତି ହେଲା ଯହୁଁ ଭିନ୍ନ,

ତେଣୁ ସବୁ ଦେଶବାସୀ ଭୋଗିଲେ କଷଣ ।

 

ଫେରିବା ସହଜ ନୁହେଁ

ଜଣା କଥା ଏହି ।

***

 

ନଅ

 

ସାଧୁ ସୁଜ୍ଞଜନ, ଧର୍ମବନ୍ତ ପ୍ରାଣ

ଯେତେ ନିରୀହ ସରଳ,

ଦେଶର ଏସନ ଦୁରୁଦଶା ଦେଖି

ଅନ୍ତର ଯାର ବ୍ୟାକୁଳ ।

 

ଅନୁରୋଧ ମୋର କରିବ ବିଚାର

ଅନାବିଳ ଶୁଦ୍ଧ ମନେ,

ଯଦି ଦେଖ ଦୋଷ ନ ବହି ସଙ୍କୋଚ

ନିନ୍ଦା ରଟ ମୋର ନାମେ ।

 

ଆହାର, ଶୟନ, ଭୟ,ମଇଥୁନ

ଏହି ଚାରି ଗୋଟି ଗୁଣ,

ପଶୁ, ପକ୍ଷୀ, କୀଟ ମାନବ ମଧ୍ୟରେ

ରହିଛି ପରା ସମାନ ।

 

ଏକା ଧର୍ମ-ଭାବ ଦେଇଛି ମାନବେ

ଜଗତରେ ଶ୍ରେଷ୍ଠ ସ୍ଥାନ,

 

 

ଧର୍ମଭାବ ଯାର ହୃଦୟରେ ନାହିଁ

ପଶୁ ସଙ୍ଗେ ସେ ସମାନ ।

 

ଧର୍ମଭାବ କେବେ       ନୁହେଁ ଭେଦଭାବ

ମଣିଷେ ମଣିଷେ ଦ୍ୱନ୍ଦ୍ୱ,

ହିନ୍ଦୁ ବୌଦ୍ଧ ଜୈନ ଖ୍ରୀଷ୍ଟ ଇସଲାମ

ନାମ ଭିତରେ ଆବଦ୍ଧ ।

 

ସତ୍ୟର ଶରଣ ସତ୍ୟର ସନ୍ଧାନ

ସନାତନ ଧର୍ମ ନୀତି;

ସତ୍ୟ ପଥଛାଡ଼ି ଆନ ପଥ ଗଢ଼ି

ଧରମର ନାହିଁ ସ୍ଥିତି ।

 

ଏ ବିଶ୍ୱ ସଂସାରେ ସ୍ରଷ୍ଟା ମାତ୍ର ଜଣେ

ସକଳ ତାର ସୃଜନ,

ସେ ବିଶ୍ୱର ପିତା ସେ ପାଳକ ତ୍ରାତା

ସରବେ ତାର ସନ୍ତାନ ।

 

ଛୋଟ-ବଡ଼ ଭେଦ ଉଚ୍ଚ ନୀଚ ବାଦ

ମୁହିଁ ମୋର ତୁହି ତୋର ,

 

 

ମନୁଷ୍ୟ ମନର ବିକୃତ କେବଳ

ପଶୁଭାବ ତାର ମୂଳ ।

 

ଏହି ସତ୍ୟ ବୁଝି ନୀଚ ସ୍ୱାର୍ଥ ତେଜି

ଜନ ସମାଜର ହିତ,

କାମନାରେ ରତ ରହେ ଅବିରତ

ଯିଏ ମନୁଷ୍ୟ ପ୍ରକୃତ ।

 

ମାନବ ଜନମ ସବୁଠୁଁ ଦୁର୍ଲଭ

ସବୁ ଶାସ୍ତ୍ର ପରା କହେ,

କିଞ୍ଚିତ ଉଦ୍ୟମେ ଦେବତ୍ୱ ବିକାଶ

ସମ୍ଭବଇ ନରଦେହେ ।

 

ମାନବ ଜୀବନ ନୁହଇ କେବଳ

ବର୍ଷ ମାସ ଦିନ ଦଣ୍ଡ,

“କର୍ମେ ଜିଏଁ ନର କର୍ମ ଏକା ତାର

ଜୀବନର ମାନଦଣ୍ଡ ।”

 

ଏ ସଂସାର ସାରା କର୍ମମୟ ପରା

କରମେ ବନ୍ଧା ଏ ପ୍ରାଣ,

ବିଭୁଙ୍କ ଅଭୟ ଚରଣରେ ଲୟ

ଦେଇ କର ଶୁଭ କର୍ମ ।

 

କରମଟି ମୂଳ ଜୀବନସମ୍ୱଳ

ମାନବର ମୂଲ୍ୟବାନ,

ଯେ କର୍ମରେ ପ୍ରାଣୀ ପାଲଟଇ ଜ୍ଞାନୀ

ତହିଁ ମାତ ରାତ୍ର ଦିନ ।

 

ଦେଶର ଦୁର୍ଗତି ସମାଜେ ଅନୀତି

ଦେଖି ଖାଲି ହାଇ ହାଇ,

କହି ଯେବେ ଏବେ ବସିବ ହତାଶେ

କିଛି ଫଳ ହେବ ନାହିଁ ।

 

ଶୁଦ୍ଧ କର୍ତ୍ତବ୍ୟର ଏଇ ତ ସମୟ

ଏତେବେଳେ ନୁହଁ ମୂକ,

ଶୁଣ କାନ ଡେରି ସାରା ଦେଶ ଭରି

ପୀଡ଼ିତ ଜନତା ଡାକ ।

 

ପଶୁ ବଳ ଦର୍ପ କରିବାକୁ ଲୋପ

ମନରେ ସହାସ ବାନ୍ଧ,

 

 

ସୁଧୀଜନଗଣ ହୁଅ ଏକଜୁଟ

କାନ୍ଧକୁ ମିଳାଇ କାନ୍ଧ ।

 

ବ୍ୟାସ, ବିଶ୍ୱାମିତ୍ର, ମନୁ, ପରାଶର,

ବ୍ରହ୍ଣର୍ଷି ବଶିଷ୍ଠ ମୁନି,

ଯେଉଁ ନୀତି ବାଣୀ କହିଛନ୍ତି ଆଜି

ହେଉ ତୁମ ଯୁଦ୍ଧଧ୍ୱନି ।

 

ଦୁଷ୍ଟ ବିନାଶନ ସନ୍ଥ ସୁରକ୍ଷଣ

ପାଇଁ ଧରି ନରଦେହ,

ଭାରତ ଭୂଇଁରେ ଜନମନ୍ତି ପ୍ରଭୁ

ଧାର୍ମିକେ ହ୍ୱନ୍ତି ସହାୟ ।

 

ସେହି ବିଶ୍ୱପତି ପାର୍ଥର ସାରଥୀ

କୁରୁକ୍ଷେତ୍ର ଯୁଦ୍ଧକ୍ଷେତ୍ରେ,

ଯେଉଁ ଗୀତା ବାଣୀ ଶ୍ରୀମୁଖରେ ଭଣି

ଅଛନ୍ତି ମାନବ ହିତେ।

 

ହେଉ ଆଜି ତାହା ତୁମ ପାଶେ ସାହା

ମନରେ ଦେଉ ଶକତି;

ମାନତ୍ୱ-ସମାଜେ ବିଞ୍ଚିଦିଅ ଭାଇ

ସେନେହ- କରୁଣା- ମୈତ୍ରୀ ।

 

ବିନା ଉଦ୍ୟମରେ ଅର୍ଥଲାଭ ଇଚ୍ଛା,

ବିନା ସାଧନାରେ ସିଦ୍ଧି,

ଶ୍ରମ ପାଇଁ କୁଣ୍ଠା, ପରଶ୍ରୀକାତର,

ଦେଶେ ବ୍ୟାପିଛି ଏ ବ୍ୟାଧି ।

 

କର୍ତ୍ତବ୍ୟରେ ନିଷ୍ଠା ଜାଗରିତ ହେଲେ

ଏ ବ୍ୟାଧି ରହିବ ହଟି,

ସାଧିୁ ଉଦ୍ଦେଶ୍ୟରେ କର୍ତ୍ତବ୍ୟ ସାଧନେ

ହସି ଉଠିବ ଏମାଟି ।

 

ପରର ସମ୍ପଦ ଦେଖି ମନେ ଖେଦ,

ଆଣନାହିଁ ଭାଇ ତିଳେ,

ନିଜର ସଂବଳ ଅନୁସାରେ ସଦା

ଲାଗ ପର ଉପକାରେ ।

 

ପ୍ରତିହିଂସା ପ୍ରତି ଶୋଧ ପରିବର୍ତ୍ତେ

ଦୟାଭାବ ଆଣ ଚିତ୍ତେ,

 

 

ପ୍ରଭୁ ଦୟାମୟ ଦେବେଟି ଅଭୟ,

କର୍ତ୍ତବ୍ୟ ସାଧନପଥେ ।

 

ନିଜ ପରିବାର ପରିଜନ ମଧ୍ୟେ

ଉଡାଅ ସତ୍ୟର ବାନା,

ଆପଣାର ପ୍ରିୟ- ଜନଙ୍କ ମଧ୍ୟରୁ

ଜାଗିବେ ସତ୍ୟର ସେନା ।

 

ପ୍ରତିବେଶୀ ମଧ୍ୟେ ତୁମରି ଆଦର୍ଶ

ଖେଳିଗଲେ ଭାଇ ବାରେ

ଶତ ସହଯାତ୍ରୀ ଜୁଟିଯିବେ ଆସି

ତୁମ ସଂଗ୍ରାମ ପଥରେ ।

 

ବିଶ୍ୱରେ କଲ୍ୟାଣ କାମନା କରିବ

ବିଭୁପାଦେ ରଖି ଲୟ,

ସେ ଚିନ୍ତା ତରଙ୍ଗ ବାୟୁସ୍ତରେ ଖେଳି

ସାଧିବ ଦୁର୍ଗତିଚୟ ।

 

ସମାଜେ ବିରକ୍ତି- ବିଷ ନ ରୋପିଣ

ବୁଣ ଅନୁରକ୍ତି- ବୀଜ

ପ୍ରୀତି, ମୈତ୍ରୀ ଫଳେଦେଶେ ଯିବ ଭରି

ସିଦ୍ଧହେବ ସବୁ କାର୍ଯ୍ୟ ।

 

କଥାରେ କାର୍ଯ୍ୟରେ ଯେତେ ପ୍ରବଞ୍ଚନା

କରି ସବୁ ପରିହାର

ସମଦୃଷ୍ଟି ଦେଇ ଦେଖିବ ସଭିଙ୍କୁ

ନ ଭାବିବ ନିଜ ପର ।

 

ନିଖିଳ ବିଶ୍ୱର ଜଣେ ହିଁ ଈଶ୍ୱର

ସରବେ ତାଙ୍କ ସନ୍ତାନ,

ମୋହ ବଶେ ପ୍ରାଣୀ ଏ ସତ୍ୟ ନ ଜାଣି

କରେ ନିଜ ପର ଜ୍ଞାନ ।

 

ବୟସରେ ସାନ ଥିବେ ଯେତେ ଜନ

ଅକୃତ୍ରିମ ସ୍ନେହ ଦେଇ,

ଗୁରୁଜନ ପ୍ରତି ହୃଦେ ରଖି ଭକ୍ତି

ସଂସାରରେ ଚଳ ଭାଇ ।

 

ନିର୍ମଳ ଚରିତ୍ର, ଅକପଟ ଚିତ୍ତ

ସୁମଧୁର ବ୍ୟବହାର

 

 

ନିର୍ଭୀକ ସ୍ୱଭାବ ପାଶେ ନଇଁଯିବ,

ହେଉ ଯେତେ ଦୁରାଚାର ।

 

ଅହଂକାର, ଦମ୍ଭ, ଅଭିମାନ, ଗର୍ବ

ମନେ ଦିଅନାହିଁ ସ୍ଥାନ,

ଫଳ-ବାଞ୍ଚା ତେଜି କାମେ ଗଲେ ମଜି

ସାହା ହେବେ ଭଗବାନ ।

 

ଯେତେ ପତିବ୍ରତା ସାଧ୍ୱୀ ସଚ୍ଚରିତ୍ର

ଅଛ ଏ ଭାରତ ଦେଶେ,

ମାନବ ସମାଜ ଅଧୋଗତି ଦେଖି

ନ ବସ ଆଉ ହତାଶେ ।

 

ମୋର ନିବେଦନ କରିଣ ଗ୍ରହଣ

ମନରେ କର ବିଚାର,

ତୁମରି ସାଧନା ବଳେ ସମାଜରେ

ସଂଚରିବ ସଦାଚାର ।

 

ସମ୍ପଦ-ଶକତି- ବିଦ୍ୟାର ବିଭୂତି

ନାରୀଠାରେ ନିବେଦିତା

ସେଥିପାଇଁ ଶକ୍ତି, ଲକ୍ଷ୍ମୀ, ସରସ୍ୱତୀ,

ନାରୀ ରୂପରେ ପୂଜିତା ।

 

ଜନନୀ ରୂପରେ ଆଦି ଗୁରୁ ତୁମେ

କନ୍ୟା ରୂପେ ସେବାଦାତ୍ରୀ,

ଜାୟା ରୂପେ ସଦା ପ୍ରେରଣା ଦାୟିନୀ,

ଧର୍ମ ସାଧନାର ସାଥୀ ।

 

ତୁମ ସାଧନାରୁ ଜନ ସମାଜରୁ

ସବୁ ତାମସିକ ଭାବ,

ହୋଇ ଯାଇ ଦୂର, ସାତ୍ତ୍ୱିକ ଭାବର

ଅଚିରେ ବିକାଶ ହେବ ।

 

ତେଣୁ ଗୋ ଜନନୀ କଥା ମୋର ମାନି

ଆଉ କରନାହିଁ ଡେରି,

ମହିଷ-ମର୍ଦ୍ଦନୀ- ଶକତି ସମ୍ମୁଖେ

ପଶୁବଳ ପଡ଼ୁ ବଳି ।

 

ପ୍ରତି ଗୃହାଙ୍ଗନେ ତୁମରି ଉଦ୍ୟମେ

ଉଡ଼ୁ ସତ୍ୟ-ନ୍ୟାୟ-ବାନା,

 

 

ପ୍ରାତଃ-ସନ୍ଧ୍ୟା କାଳେ ହେଉ ପ୍ରତି ଘରେ

ସତ୍ୟ ଶିବର ଅର୍ଚ୍ଚନା ।

 

ଗୀତା ଭାଗବତ ରାମାୟଣ ଗ୍ରନ୍ଥ

ଅଧ୍ୟୟନେ ହୁଅ ରତ,

ପୁରାଣ ଯୁଗର ପୁଣ୍ୟମୟୀ ନାରୀ

ଆଦର୍ଶେ ହୁଅ ଜାଗ୍ରତ ।

 

ସଂଭୋଗ ଲାଳସା କର ପରିହାର,

ତ୍ୟାଗ ହେଉ ତୁମ ନୀତି,

ବୀର ସନ୍ତାନରେ ଜନନୀ ବୋଲାଇ

ସୁଖେ ଯିବ ଦିନ ବିତି ।

 

ସ୍ୱାମୀ, ପୁତ୍ର, ଭ୍ରାତା, ବନ୍ଧୁଜନ ମନେ

ରହିଚି ଯେତେ କଳଙ୍କ,

ସ୍ନେହ-କରୁଣାରେ ଧୋଇଦିଅ ସବୁ

ଜଳିଉଠୁ ସତ୍ୟାଲୋକ ।

 

ତୁମ ପ୍ରେରଣାରେ ଜନ ସମାଜରୁ

ବଇଷମ୍ୟ ହେଉ ଲୋପ,

ତୁମ କରୁଣାରେ ଦୁର୍ଗତ ଜନର

ନିଃଶେଷ ହେଉ ସନ୍ତାପ ।

 

ତୁମ ସାଧନାରେ ଘୁଞ୍ଚି ଯାଉ ଦେଶୁ

ଆଜିର ଏ କାଳ ରାତି,

ଶତ ଗାନ୍ଧୀ, ଶତ- ବିବେକ- ଆନନ୍ଦେ

ହସୁ ଏଦେଶର ମାଟି ।

 

ସଭାମଞ୍ଚ ଗଢ଼ି ବନ୍ଧମୂଷ୍ଟି ତୋଳି

ଖୋଲି ବକ-ତୃତା ମୁଣି

ବର୍ଷ ପରେ ବର୍ଷ ଶୁଣିଛ ସହସ୍ର

ହିତ- ଉପଦେଶ-ବାଣୀ ।

 

ହେଉ ଜନସେବୀ ଅବା ଗୃହ ତ୍ୟାଗୀ

ବଚନ ତା ଯେତେ ମିଠା,

ସାଧାରଣ ଦିନେ ସ୍ୱାର୍ଥର ସଂଗ୍ରାମେ

କାମଟି ତାର ଓଲଟା ।

 

ନିଜ ଆଚରଣ ଶୁଦ୍ଧ ନ କରିଣ

ଯେତେ ଶୁଷ୍କ ଉପଦେଶ

 

 

ଜନ-ସମାଜରେ ହିତ ପରିବର୍ତ୍ତେ

ବାଣ୍ଟେ ଠକାମିର ବିଷ ।

 

ଏପରି ଲୋକଙ୍କୁ ସାବଧାନ ଭାଇ

ପାଖେ ଦିଅ ନାହିଁ ସ୍ଥାନ,

ଦୁଧ ଭରା ଭାଣ୍ଡେ ବିଷ ବିନ୍ଦୁ ସମ

ସବୁ ହେବ ଅକାରଣ ।

 

ମୋର ନିବେଦନ ନିଜ ଆଚରଣ

ଆଗେ କର ନିଷ୍କଳଙ୍କ

ଯାହାର ପ୍ରଭାବେ ଅନୁଗାମୀ ହେବେ

ଯେତେ ତୁମ ପାଖ ଲୋକ ।

 

ପବିତ୍ର କର୍ମର ଉଠିବ ଝଙ୍କାର

ଏଦେଶର ବାୟୁସ୍ତରେ,

ଶୀତ ସକାଳର କୁହେଳିକା ସମ

ହଟିଯିବ ପାପ ଦୂରେ ।

 

 

 

ବିଶ୍ୱପିତା ପାଦେ ଲୟ ରଖି ଯେବେ

ଆଗେଇ ଆସିବ ବାରେ,

ଯାତ୍ରାପଥେ ତୁମ ସହସ୍ର କଣ୍ଟକ

ଦୂର ହେବ ମୁହୂର୍ତ୍ତରେ ।

 

ସତ୍ୟ ମାଧ୍ୟମରେ ସାଧୁ ଉଦ୍ୟମରେ

ଯେ କର୍ମ ହୁଏ ଆରମ୍ଭ,

ଲକ୍ଷ୍ୟସ୍ଥଳୀ ତାର ସର୍ବଦା ମହତ

ଏହାହିଁ ନିଶ୍ଚୟ ଧ୍ରୁବ ।

 

ସତ୍ୟ- ସଂଗ୍ରାମରେ ସତ୍ୟସେବକର

ଅଙ୍ଗେ ଯେବେ ଲାଗେ ପ୍ରାସ,

ସହି ନ ପାରନ୍ତି ସତ୍ୟରୂପୀ ହରି,

ଏହା ମୋ ଦୃଢ଼ ବିଶ୍ୱାସ ।

***